Unknown

 

 

 

 

 

 

 

 

 

କୋଶେ ଲମ୍ବା ନାକ

ପଣ୍ଡିତ ଗୋଦାବରୀଶ ମହାପାତ୍ର

 

ଦିନକର ତିନିଜଣ ପାଇକ ବିଦେଶରୁ ଘରକୁ ଫେରି କରି ଯାଉଥିଲେ । ସେ ତିନିହେଁ ଏକ ରାଇଜର ରଜାଙ୍କ ପାଖରେ ରହି ଯୁଦ୍ଧକରି ବୁଢ଼ା ହେଲେ, ମାତ୍ରକ ଯୁଦ୍ଧ ସରିଲାରୁ ରଜା ତାଙ୍କୁ ଆଉ ପଚାରିଲେ ନାଇଁ । ତାଙ୍କ ହାତରେ ତ ପଇସାଟିଏ ନ ଥିଲା, ଗାଁକୁ ଗାଁ ବୁଲି ୟା’ଠୁ ଭାତ ମୁଠେ, ତା’ଠୁ ପେଜ ମନ୍ଦେ ମାଗି ଘରକୁ ଫେରୁଥିଲେ ।

 

ତାଙ୍କ ଘର ତେର ନଈ ପାରି ହେଲେ ମାସକର ବାଟରେ । ବାଟରେ ଅନାର୍ଯାପ ବଣ ପର୍ବତ । ଏକ ଦିନକର ତିନିହେଁ ଭୋକ ଓପାସରେ ଯାଉ ଯାଉ ଏକ ଅଗ୍ନାଗ୍ନ ବନସ୍ତରେ ଯାଇ ପଶିଲେ ଯେ, ସେଠି ତାଙ୍କ ବୁଦ୍ଧି ବଣା ହୋଇଗଲା । ସେଠି କୁଆର ଥଣ୍ଟା ନାଇଁ, କି ଚଢ଼େଇର ବେଣ୍ଟ ନାଇଁ । ପତରୁଟେ ପଡ଼ିଲେ ପଥରୁଟେ ପଡ଼ିଲା ପରି ଶୁଘୁଚି । ଇମିତି ବଣର ମଝାଲରେ କରି ହୋଇଚନ୍ତି, ବେଳ ବୁଡ଼ିଗଲା । ସେଇଟା ପୁଷୁମାସ ରାତି, ଜାଡ଼ରେ ଦାନ୍ତପାଟି କୋଲ ମାରି ଯାଉଚି ତାଙ୍କୁ ସାହା ଭରସା ଦିଶିଲା ନାଇଁ । ବିଚରା ବିଚିରି ହୋଇ ଭାରି ସନ୍ତସନ୍ତରେ ଗୋଟିଏ ଓସ୍ତ ଗଛ ମୂଳରେ ଗଦେ ନିଆଁ ଜାଳି ଦେଇ ତିନିହେଁ ରହିଲେ । ମାତ୍ରକ ଏହା କଲେ ଯେ, ଦି’ଜଣ ଶୋଇଲେ ଜଣେ ତାଙ୍କୁ ଜଗି ଚାହିଁ ରହିବ । ଇମିତି କରି ତିନିଜଣଯାକ ଜଗିବେ । ସେ ବଣରେ ତ ଭାରି ବାଘ, ଭାଲୁ, ଟିକିଏ କୁ’ଠି ଖୁଡ଼୍‌କିନା ହେଲେ ତିନିଙ୍କ ବୁକୁ ଧୁଡ଼୍‌କିନା ପଡ଼ୁଥାଏ ।

 

ବାଟ ଚାଲି ଚାଲି ତାଙ୍କୁ ତ ବଡ଼ ହାଲିଆ ଲାଗୁଥିଲା, ଜଣେ ଜଗିଲାରୁ ଆର ଦି’ଜଣ ନିଶ୍ଚିନ୍ତରେ ନିଘୋଡ଼ ନିଦରେ ଘୁଙ୍ଘୁଡ଼ି ମାରି ଶୋଇଲେ । ୟା ଉତ୍ତାରୁ କଣ ହେଲା ନା, ସେ ଅନ୍ଧାର କିଟିକିଟି ବଣ ଭିତରୁ ଜଣେ ବାଙ୍ଗର ବୁଢ଼ା ଖଣ୍ଡେ ନାଲି ଟହଟହ ବନାତ ଘୋଡ଼େଇ ହୋଇ ଆସି ପଚାରିଲା, ‘‘ତମେ ଇ ବଣରେ କିଏ ହୋ ?’’

 

ବୁଢ଼ା ପାଇକ କହିଲା, ‘‘ହଁ । ମୁଁ ଜଣେ ବାଟୋଇ । ରଜାଙ୍କ ପେଇଁ ଯୁଝ କରି କରି ମୁଣ୍ଡରୁ ବାଳ ପାଚିଲା । ଏବେ ପେଟକୁ ଦାନା ନାଇଁ । ଆଉ ଦି’ଜଣ ସାଙ୍ଗ ହେଇଟି ମୋ ପାଖରେ ଶୋଇଚନ୍ତି । ତମେ କିଏ ଏଆଡ଼େ ଆସ, ଏଠି ଟିକିଏ ନିଆଁ ପୋଇଁ କରି ଯିବ ।’’

 

ବୁଢ଼ା ଆସି ନିଆଁ ଗଦା ପାଖେ ବସିଲା । ଟିକିଏ ସେକି ହେଲା, କହିଲା, ‘‘ଆଚ୍ଛା ଭାଇ, ତମେ ତ ମତେ ଏତେ ଅନୁଗ୍ରହ ଦେଖେଇଲ, ମୁଁ ତମକୁ ଆଉ କଣ ଦେଇ ପାରିବି କି, ଏ ବନାତଟି ଦେଉଚି ନିଅ । ସକାଳୁ ତମ ସାଙ୍ଗ ଉଠିଲେ ଦେଖେଇବ । ମନେ ରଖିଥା, ଏ ବନାତଟି ଘୋଡ଼େଇ ହୋଇ ତମେ ଯାହା ବିଚାରିବ ତା ହେବ । ’’ ୟା କହି ବୁଢ଼ା ଦଣ୍ଡବତଟିଏ ହୋଇ ଚାହୁଁ ଚାହୁଁ ବଣ ଭିତରେ କୁଆଡ଼େ ଉଭେଇ ଗଲା ।

 

ୟା ଉତ୍ତାରୁ ଆଉ ଜଣକର ଜଗିବା ପାଳି ପଡ଼ିଲା । ଯିଏ ଆଗ ଜଗିଥିଲା, ସିଏ ଶୋଇ ପଡ଼ୁ ପଡ଼ୁ ସେ ବୁଢ଼ା ବାଙ୍ଗରଟି ଫେରେ ଆଉ ଥରେ ସମିତି ଗୋଟିଏ ନାଲି ବନାତ ପିଠିରେ ପକେଇ ଲଇଁ ଲଇଁ କରି ବଣରୁ ବାହାରିଲା । ଯାହାର ପାଳି, ସିଏ ତାକୁ ଭାରି ଆଦରରେ ଡାକି ଆର ଜଣକ ପରି ପାଖରେ ବସେଇଲା । ବୁଢା ଗଲାବେଳେ ତାକୁ ଚମଥଳିଟିଏ ଦେଇ କହିଲା, ‘‘ହେଇଟି ଏଇ ଥଳିଟି ନିଅ । ଏଇଟି ହେଉଚି ସୁନାଥଳି । ଏଥିରୁ ତମେ ଯେତେ ସୁନା ନବ, ଏ ଆଉ ସରିବ ନାଇଁ ।’’ ଏହା କହି କରି ସିଏ ସିମିତି ଉଭେଇ ଗଲା ।

 

ୟା ପରେ ପାହାନ୍ତିଆ ପହରକୁ ସଭା ଶେଷ ଜଣକର ପାଳି ପଡ଼ିଲା । ତା ବେଳକୁ ସିମିତି ସେ ବୁଢ଼ା ଆସିଲା, ପାଖରେ ବସି ନିଆଁ ପୋଇଁଲା, ଗଲା ବେଳକୁ ମନ ଖୁସିରେ ତାକୁ ଗୋଟିଏ ବଇଁଶୀ ଦେଇ କହିଲା, ‘‘ଏଇ ବଇଁଶୀଟିର ଭାରି ଗୁଣ । ୟାକୁ ଧରି ବଜେଇଲାକ୍ଷିଣି ଦଳ ଦଳ ହୋଇ କୁଆଡ଼ୁ ଘୋଡ଼ା ହାତୀ ପାଇକ ସଇନ ଆସି ପାଖରେ ଜମା ହୋଇ ପଡ଼ିବେ । ଗୀତ ଶୁଣି ନାଚିବେ, ହସିବେ; ତମେ ଯାହା କହିବ ତା କରିବେ ।’’

 

ସକାଳ ହେଲାରୁ ସଭିଏଁ ରାତିରେ କିଏ କ’ଣ ଦେଖିଥିଲେ କୁହାକୁହି ହେଲେ । ଆଗ ଜଗୁଆଳି ବନାତଟିଏ ଦେଖେଇଲା, ପଛ ଜଗୁଆଳି ବଇଁଶୀଟି ବାହାର କଲା, ଆର ଜଣକ ସୁନାଥଳିଟି କାଢ଼ିଲା । ସେ ତିନିହେଁ ତ ପିଲାଦିନୁ ସାଙ୍ଗ, ସେଠୁ ବିଚାରିଲେ, ‘‘ଆଉ ପରୁଆ କ’ଣ ? ଅସରନ୍ତି ସୁନାଥଳି ତ ଅଛି, ଚାଲ ରାଇଜ ରାଇଜ ବୁଲି ଦେଖିବା।’’ ୟା ଉତ୍ତାରୁ ସେମାନେ ବିଦେଶ କରି ବାହାରିଲେ । କେତେ ମୁଲକ ବୁଲିଲେ, ଖାଇ ପିଇ ମଉଜ କଲେ । ଇମିତି କେତେ ଦିନ ଗଲା-। ଦିନକର ତିନିହେଁ ବିଚାରିଲେ, ‘‘ଏଥର ଗୋଟିଏ ଘର କଲେ କେତେ ଦିନ ସୁଖରେ ରହନ୍ତେ ।’’ ସେଠୁ ବନାତ ପାଇବା ବାଲା କଣ କଲା ନା, ବନାତ ଘୋଡ଼େଇ ହୋଇ ବିଚାରି ଦେଲା, ‘‘ଏଇଠି ଗୋଟେ ପକ୍କାଘର ହୋଇ ଯା ।’’ ତା ପାଟିରୁ କଥା ସରୁ ନ ସରୁଣୁ ଦେଖିଲା ବେଳକୁ ଆଗରେ ଏକ ଦିବ୍ୟ ସୁନ୍ଦର ପକ୍କାଘର ଠିଆ । ଚାରିପାଖେ ବଗିଚା, ଗାଈଗୋରୁ ପଡ଼ିଆରେ ଗୋଠ ଗୋଠ ହୋଇ ଚରୁଚନ୍ତି, ସବୁ ଯିମିତି ହବାର ସିମିତି ହୋଇଚି । ଘର ଦେଖିବାକୁ ରଜାନଅର ପରି ଦିଶୁଚି-। ଇମିତି ସମୟରେ ଏକ ହାତୀ ଆସିଲା ଯେ, ଏ ତିହ୍ନିଙ୍କ ସେ ଘର ଦୁଆରମୁହଁରେ ନେଇ ପହଞ୍ଚେଇ ଦେଲା ।

 

ଏଇପାରି ସେଠି ରହି କେତେ ଦିନ ଗଲା । ସବୁ ଦିନ ଘରେ ରହିବାକୁ ତାଙ୍କୁ ଆଉ ଭଲ ଲାଗିଲା ନାଇଁ । ଦିନକର ବିଚାର ବିଚିରି ହେଲେ, ‘‘ଚାଲ, ପାଖ ରାଇଜ ରଜା ପାଖକୁ ଯାଇ ତାଙ୍କ ସଙ୍ଗେ ଦେଖା କରିବା ।’’ ୟା ବିଚାରି ହାତୀ, ଘୋଡ଼ା, ଚାକରବାକର ସବୁ ସଜବାଜ କରି ବାହାରିଲେ । ସେ ରାଇଜ ରଜାଙ୍କର ଗୋଟିଏ ବୋଲି ଝିଅ, ତା ନାଁ ‘ସରଗଚାନ୍ଦ ।’ ରଜା ଭାରି ସ୍ନେହୀ ଲୋକ । ଏ ତିହ୍ନିଙ୍କୁ ଆଦରରେ ନେଇ ଆଛା ସମ୍ଭାବନା କଲେ । ବିଚାରିଲେ, ‘‘ଏଥିରୁ ଜଣକ ହାତରେ ଝିଅକୁ ଦେବି ଯେ, ମୋ ଅନ୍ତେ ସେ ରଜା ହବ ।’’

 

ଏକ ଦିନକର କ’ଣ ହେଲା ନା, ଯୋଉ ପାଇକଠାରେ ସୁନାଥଳିଟି ଥିଲା, ସିଏ ଜେମା ପାଖରେ ବସି କଥା ହଉଚି, ଜେମାର ଆଖି ପଡ଼ିଲା ସେଇ ଥଳି ଉପରେ । ପାଇକ ସେଠୁ କଥାକୁ ବାଆଁରେଇ ଦେଇ ବାହାରି ଅଇଲା । ମାତ୍ର ଜେମା ତ ଏକ ଅସୁରୁଣୀ, ସିଏ ସିନା ମାୟା ମଣିଷ ରୂପ ଘେନି ରଜାଘରେ ଜନମ ହୋଇଚି, ଏକଥା ରଜାରାଣୀ କେହି ହେଲେ ଜାଣନ୍ତି ନାଇଁ । ତିନି ପାଇକଯାକ ନଅରକୁ ଅଇଲା ଦିନୁ କାହା ପାଖେ କ’ଣ ଅଛି ଜେମା ଜାଣିଥାଏ । ସେ ଦିନକ ଗଲା-। ଏଣେ ଜେମା କଣ କଲା ନା, ପାଇକର ଯିମିତି ଥଳିଟିଏ ସେଇ ଅନୁରୂପରେ ଆଉ ଏକ ଥଳି ତିଆରି କରେଇଲା । ପାଇକ ତ ଜାଣେ ନାଇଁ ଇଏ ଇମିତି ଅସୁରୁଣୀ ବୋଲି, ତା ଆରଦିନ ଜେମା ତାକୁ ନଅରକୁ ଡକେଇଲାରୁ ଗଲା । ଗଲାରୁ ଜେମା ତାକୁ କେତେ ଆଦରରେ ଖାଇବାକୁ ପିଇବାକୁ ଦେଲା, ଆଉ କ’ଣ କଲା ନା, ଗୋଟିଏ କି ମୋଦକ ଦେଇଥିଲା ଯେ ତାକୁ ଖାଇଦେଲେ ନିଘୋଡ଼ ନିଦ ଆସିବ । ପାଇକ ଜିଭରେ ମୋଦକ ବାଜିଲାରୁ ସିଏ ଆସକତିଆ ହୋଇ ବସିଥିବା ପଲଙ୍କରେ ଗଡ଼ି ପଡ଼ିଲା । ଇମିତି ସମୟରେ ଜେମା ତା ଅଣ୍ଟାରୁ ସୁନା ଥଳିଟି ଫିଟେଇନେଇ ଆର ଥଳିଟି ବାନ୍ଧିଦେଲା । ପାଇକ ୟା ସବୁ କିଛି ଜାଣେ ନାଇଁ ।

 

ସକାଳୁ ତିନିହେଁ ରଜାଘରୁ ମେଲାଣି ଘେନି ଘରକୁ ଅଇଲେ । ଆସି ମଝିଆଁ ପାଇକ ଥଳି ଦରାଣ୍ଡେ ତ, ମୁଠାକରୁ ଆଉ ବେଶି ସୁନା ଭାରିଲା ନାଇଁ, କି ଥଳି ଆଉ ଭରତି ହେଲା ନାଇଁ । ତାର ସେଠୁ କାଲି କଥା ମନେ ପଡ଼ିଗଲା, ‘‘ଜେମା ତ ପଚାରୁଥିଲା, ସେ ଏକା ଏହା କରିଚି’’ କହି କହି ଭୋ ଭୋ କାନ୍ଦିଲା, କେତେ ମୁଣ୍ଡ ବାଡ଼େଇଲା, କୋଡ଼ି କଚାଡ଼ି ହେଲା । ହେଲେ କଣ ହେବ, ଗଲା କଥା ତ ଗଲାଣି । ଯେ ପାଇକ ପାଖେ ବନାତ ଥିଲା, ସିଏ କହିଲା, ‘‘ଏଇଥିକି ଏଡ଼େ ଚିନ୍ତା-? ରହ, ରହ, ମୁଁ ସବୁ ସଜକରି ଦେଉଚି ।’’ ୟା କହି ଯିଏ ଯିମିତି ବିଚାରିଲା ସିମିତି ଯାଇ ଜେମା ମହଲ ଦୁଆରମୁହଁରେ ପହଞ୍ଚିଗଲା । ଗଲାବେଳକୁ ଜେମା କଣ କରୁଚି ନା, ଏକା ଲୟରେ ଥଳିରୁ ସୁନା କାଢ଼ି ଗଣିବାରେ ଲାଗିଚି; ମୁହଁ ଟେକି ଦେଖିଲା ବେଳକୁ ପାଖରେ ପାଇକ । ସିଏ ତ ଏକାବେଳକେ ଅତରଛ ! ପାଟି କଲା ‘‘ଚୋର, ଚୋର, ଧାଇଁ ଆସ !’’ ପାଟି ଶୁଣି ଲୋକେ ଚାରିଆଡ଼ୁ ଧାଇଁଲେ । ୟା ଦେଖି ପାଇକର ବୁଦ୍ଧି ହଜିଗଲା । ତାର ତ ଫଟାକପାଳ, ସିଏ ଯେବେ ବିଚାରି ଦେଇଥାନ୍ତା, ‘‘ମୁଁ ଘରକୁ ଯିବି’’, ତେବେ ଯାଇ ଆଖି ପିଛୁଳାକେ ଘରେ ପହଞ୍ଚିଥାନ୍ତା । ତାର ସେତକ ବୁଦ୍ଧି ହେଲା ନାଇଁ, ଭୟରେ ଧାଇଁ ଧାଇଁ ପଳେଇବ ବୋଲି ଗୋଟେ ପଞ୍ଜର ବାଟେ ଆର ପାଖକୁ ଡେଇଁ ପଡ଼ିବା ବେଳକୁ ବନାତଟା ଲାଗିଗଲା ଯେ, ଲୋକ ପଡ଼ି ତାକୁ ଧରିଦେଲେ । ରଜା ତ ତାକୁ ଚିହ୍ନନ୍ତି, ଆଉ କ’ଣ କରିବେ କି, ତାଠୁ ସେଇ ବନାତଟି ଛଡ଼େଇ ରଖି ଛାଡ଼ି ଦେଲେ ।

 

ପାଇକ କାନମୁଣ୍ଡା ଆଉଁସି ଆଉଁସି-ମୁହଁ ଶୁଖି ଯାଇଚି, ଥୋଡ଼ ଓହଳି ପଡ଼ିଚି-ସକେଇ ସକେଇ ଘରକୁ ଆସିଲା । ୟା ଦେଖି ଯେଉଁ ପାଇକ ପାଖେ ବଇଁଶୀଟି ଥିଲା ସିଏ କହିଲା, ‘‘ଆଉ କାନ୍ଦି ବୋବେଇଲେ କଣ ହବ ଭାଇ ? ଥିର ହୁଅ, ମୁଁ ଏଇଲାଗେ ସବୁ ଘେନି ଆସୁଚି ।’’

 

ୟା କହି ଯିମିତି ସିଏ ବଇଁଶୀ ବଜେଇ ଦେଇଚି ସିମିତି ଦଳକୁ ଦଳ ଅକଳନ୍ତି ସଇନ, ପାଇକ, ହାତୀ, ଘୋଡ଼ା, ରଥ ଆସି ତା ପାଖରେ ପହଞ୍ଚିଗଲେ । ସିଏ ଆଗେ ଆଗେ ଚାଲି ହୁକୁମ ଦେଲା, ‘‘ଆସ, ସେ ରଜା ନଅରକୁ ଭାଙ୍ଗି ଚୂନା କରିଦେବ ।’’ ସଭିଏଁ ଗଲେ, ରଜାଘର ନଅର ଘେରି ରହିଲେ । ଆଉ କାହାରି ଅକତିଆର ରହିଲା ନାଇଁ ଯେ, ସେ ନଅର ଭିତରୁ ବାହାରକୁ ଆସିବ । ପାଇକ ସେଠୁ ରଜାପାଖକୁ କହି ପଠେଇଲା, ‘‘ତମ ଜେମା ଆମର ଥଳି ଆଉ ବନାତ ଫେରେଇ ନ ଦେଲେ ଆଖି ପିଛୁଳାକେ ଏ ରାଇଜ ଧୂଳି କରି ଉଡ଼େଇ ଦେବି ।’’

 

ରଜା ତ ଏ ସବୁ ରହସ୍ୟ ଜାଣନ୍ତି ନାଇଁ, ଗଲେ, ଜେମାକୁ ସବୁ କଥା କହିଲେ । ଜେମା କହିଲା, ‘‘ହଉ ମୁଁ ଆଗ ଥରେ ଦେଖେ, ତାଙ୍କୁ ନ ପାରିଲେ ସିନା ଫେରେଇଦେବି ।’’ ୟା କହି କଣ କଲା ନା ରାତି ହେଲାରୁ ଖଣ୍ଡେ ଚିରା ଲେଙ୍କଡ଼ା ଦରଭା ପିନ୍ଧି, ଭଙ୍ଗା ଟୋକେଇଟେ କାଖେଇ, ବାଳ ଭୁତୁରୁ ଭୁତୁରୁ ଉଡ଼ୁଚି, କୋଳି ବିକିବ ବୋଲି ପାଇକମାନେ ଯେଉଁ ଘରେ ଥିଲେ ସେଠାକୁ ଗଲା ।

 

ସକାଳୁ ଉଠି ୟା ଦୁଆରକୁ ତା ଦୁଆର ହେଲା, ସେଠୁ ଠାଏ ବସି ଗୀତ ଗାଇଲା । ଇମିତି ଗୀତ ପରା ନାହିଁ ନ ଥିବ, ଯିମିତି କି ବୀଣାସ୍ୱର ! ଯେତେ ଯୁଆଡ଼େ ସଇନ ସାମନ୍ତ ଥିଲେ ସମସ୍ତେ ଆସି, ତାକୁ ଏକାଠି ଘେରି ବସିଲେ । ‘‘ଆଉ ଗୋଟିଏ ଗାଆ, ଆଉ ଗୋଟିଏ ଗାଅ’’ କହି ତାକୁ ଉଚ୍ଛନ କରି ପକେଇଲେ । ଶେଷକୁ ଯୋଉ ପାଇକ ପାଖରେ ବଇଁଶୀଟି ଥିଲା, ସିଏ ଶୁଣିମାକୁ ଅଇଲା । ସିଏ ଆଉ ଚିହ୍ନି ପାରିଲା ନାଇଁ ଯେ ଏ ଜେମା, ଏହାରି ସାଙ୍ଗେ ସବୁ ଅଦଉତ । ଜେମା ୟାକୁ ମାତ୍ରକ ଚିହ୍ନିଲାଣି । ସେ ଆଗରୁ ବିଚାରି ସାଙ୍ଗରେ ଜଣେ ଦାସୀ ନେଇଥିଲା । ପାଇକକୁ ଦେଖି ଜେମା ଦାସୀକି ଆଖି ଠାରି ଦେଲା ଯେ, ସିଏ ଗୁଳ୍‌କିନା କୁ’ବାଟେ ଯାଇ ସେଇ ପାଇକ ବସାରେ ପଶିଗଲା । ପାଇକ ବଇଁଶୀଟିକି ଅଲୁଗୁଣୀରେ ଓହଳେଇ ଦେଇ ଥିଲା । ଦାସୀ ସେଇଟିକି କାନିତଳେ ଜାକି ଫେରେ ଜେମା ପାଖକୁ ଫେରି ଅଇଲା । କେହି ଏକଥା ଜାଣି ପାରିଲେ ନାଇଁ, ଦିହେଁଯାକ ମିଶି କେତେବେଳେ ନଅରକୁ ଫେରି ଅଇଲେ ।

 

ବଇଁଶୀଟି ଯିମିତି ହାତରୁ ଗଲା ପାଇକର ସିମିତି ସବୁ ଅକତିଆର ଗଲା । ଆଉ ଯୁଦ୍ଧ ନା ଫୁଦ୍ଧ, ଯିଏ ଯେତେ ପାଇକ ଥିଲେ ଚାହୁଁ ଚାହୁଁ ସବୁ କୁଆଡ଼େ ଉଭେଇ ଗଲେ । ଏ ପାଇକ ତିନିଜଣ ଯେଉଁ ମାଗିଖିଆକୁ ସେଇ ମାଗିଖିଆ ହୋଇ ବୁଲିଲେ ।

 

ସୁନାଥଳିଟି ହଜିବାରୁ ମଝିଆଁ ପାଇକ ମନରେ ତ ବଡ଼ ଦୁଃଖ ହୋଇଥିଲା, ଆର ଦି’ଜଣଙ୍କୁ ଡ଼ାକି କହିଲା, ‘‘ଦେଖୁଚ ତ ଭାଇ, ଆମେ କେଡ଼େ ନିକପାଳିଆ । ଇନ୍ଦ୍ର ସଂପତ୍ତି ପାଇ ଆମକୁ ଭୋଗ ହେଲା ନାଇଁ । ଆଉ ଜୀବନରେ କଣ ଅଛି ? ଚାଲ, ଏଣିକି ଯେଝା କପାଳ ଆଦରି ଯିଏ ଯୁଆଡ଼େ ଯିବା ।’’ ଏ କଥାକୁ ଆର ଦି ଜଣ ନ ମଙ୍ଗି ଏକାଠି ଗଲେ, ଏ ଜଣକ ମନଦୁଃଖରେ ଗୋଟିଏ ଗୋଟିଏ ଚାଲି ଆଉ ଏକା ବାଟରେ ଗଲା । ଯାଉ-ଯାଉ-ଯାଉ-ବାଟ ପଡ଼ିଚି ଅଗ୍ନାଗ୍ନି ବନସ୍ତକୁ । ତା ମନ ତ ଗଲା କଥା ଭାବି ଦହଗଞ୍ଜ ହେଉଥିଲା, ତାକୁ କଣ ଆଉ ବାଟ ଦୁଶୁଚି ନା ଘାଟ ଦୁଶୁଚି ? ସନ୍ଧ୍ୟା ହେଲା ବେଳକୁ ସିଏ ଯାଇଁ କରି ବଣ ମଝିରେ, ଯୁଠ ସେଇ ବୁଢ଼ା ବାଙ୍ଗରକୁ ଦେଖି ଥିଲେ, ସେ ପାଖାପାଖି ହେଲାଣି । ତାକୁ ତ ବଡ଼ ଆସକତିଆ ଲାଗୁଥିଲା, ଅନ୍ଧାରୁଆ ହୋଇ ଆସିବାରୁ ଏକ ଗଛ ମୂଳେ ବସିଲା । ବସୁ ବସୁ ସେଇଠି ତାକୁ ନିଦ ଲାଗି ଗଲା ଯେ, ତାର ଆଉ ଚେତା ଚକର ରହିଲା ନାଇଁ ।

 

ତାର ନିଦ ଭାଜିଲା ବେଳକୁ ସକାଳ ହୋଇ ଖରା ପଡ଼ି ଗଲାଣି । ଉଠିଲା । ତା ପେଟ ଖାଲି ଭୋକରେ ଜଳୁଚି, ବସି ଚାରିଆଡ଼କୁ ଆଖି ବୁଲେଇଲା । ଦେଖିଲା, ଗୋଟେ ଗଛରେ ଶଗଡ଼େ ଜାମୁ କୋଳି କଳା ମଚ ମଚ ହୋଇ ପାଚି କରି ରହିଚି । ଇମିତି ଏଡ଼େ ଏଡ଼େ କୋଳି ଯେ, ଟିପ ବାଜିଲେ ଫାଟି ଯିବ ପରା ! ଇଏ ସେଠୁ ଧଡ଼ପଡ଼ ହୋଇ ଉଠି ଗଲା, ପାଖରୁ ପାଖରୁ ପୁଞ୍ଜେ ତୋଳି ଆଣି ଆଗ ଖାଇ ବସିଲା । ଗୋଟେ ଖାଇଲା, ଯୋଡ଼ା ଖାଇଲା, ତିନୋଟା ଖାଇଲା, ଆଉ ଗୋଟେ ଖାଇଲା ବେଳକୁ କଣ ହେଲା ନା, ତା ପାଟି ଆଗରେ ଆସି କଅଣ ଗୋଟେ ହାବୁଡ଼ିଲା ଯେ, ହାତ ଆଉ ପାଟିକି ଗଲା ନାଇଁ । ସିଏ ଡେବିରି ହାତରେ ଦରାଣ୍ଡିଲା, ଦେଖିଲା ତା ନାକୁଟା ଲମ୍ବା ହୋଇ ବଢ଼ି ଯାଉଚି । ଦେଖୁ ଦେଖୁ ନାକ ବଢ଼ିଲା ଯେ, ବଢ଼ିଲା ଯେ, ପାଟି ଡେଇଁ ବୁକୁ ଓପରକୁ ଆସି ଓହଳି ପଡ଼ିଲା । ସିଏ ତ ପାଟିକରି ‘‘ହେ ଜଗନ୍ନାଥେ, ହେ ଲୋକନାଥେ, ଫୁଲ ଚଢ଼େଇବି, ମାଳ ଚଢ଼େଇବି’’ କହି କାନ୍ଦୁଚି; ସେତେ ବେଳକୁ ନାକ ତଳେ ଆସି ବାଜିଲାଣି । ତା ଦେଖି ତା କଲିଜା ପାଣି, ଅତର୍ଚ୍ଛିଆ ହୋଇ ଚାରିକାତ ଛାଡ଼ି ଦେଇ ତଳେ ବସି ପଡ଼ିଲା । ତେବେକେ କି ସେ ରହିଲା ? ସିମିତି ବଢ଼ିଲା, ଆଉ, ସେ ଏତେ ଗରୁ ହେଲା ଯେ ସିଏ ତାକୁ ସମ୍ଭାଳି ଉଠି ପାରିଲା ନାଇଁ, କି ବସି ପାରିଲା ନାଇଁ, ତଳେ ଚିତ୍‌ହୋଇ ପଡ଼ିଲା । ନାକୁଟା ଇଆଡ଼େ ସିଆଡ଼େ ହୋଇ ନଈ ମାଡ଼ିଲାପରି ବଢ଼ି ବଢ଼ି ଗଲା, ଯିମିତି କି ସତେ ଅବା ବଣୁଟା ଯାକ ଘେରେଇ ପକେଇବ ।

 

ସେତିକି ବେଳକୁ କଣ ହୋଇଛି ନା, ତାର ଯେଉଁ ଆଗ ସାଙ୍ଗ ପାଇକ ଦି’ଜଣ ଥିଲେ, ସିଏ ସେଇ ବଣ ପାରି ହେଉଚନ୍ତି । ଯାଉ ଯାଉ ଆଗ ଜଣକ ବାଟରେ କଅଣୁଟେ ଝୁଣ୍ଟି ତଳେ ପଡ଼ିଗଲା । ଉଠିକରି ଦେଖେ ତ ବରସିଅ ପରି ଗୋଟେ ଏଡ଼ୁଟେ, ତାର ଏ ମୁଣ୍ଡ ନାଇଁ କି ସେ ମୁଣ୍ଡ ନାଇଁ । ଭିତରୁଟା ଫମ୍ପା, ଚିପିଲେ ଲତ ପତ ହେଉଛି । କହିଲା, ‘‘ଇଏ ତ ବଡ଼ ଅଘଟଣ କଥା । ଗୋଟେ ନାକ ପରି ଦିଶୁଚି । ଚାଲ ଏଟା ଯୋଉଠୁ ବାହାରିଚି ସେଠି କି ଯିବା ।’’ ବିଚରା ବିଚିରି ହୋଇ ଦି ପାଇକ ଯାକ ତାକୁ ଦେଖି ଦେଖି ଆଗକୁ ଆଗକୁ ବଣ ଭିତରକୁ ପଶିଲେ । କୋଶେ କି ପାଞ୍ଚପା ବାଟ ଗଲା ଉତ୍ତାରୁ ଦେଖିଲେ ଯେ, ସେଉଟା ତାଙ୍କ ସାଥି ବାଲାର ନାକ ! ସାଥିବାଲା କଣ କରିଚି ନା, ଲମ୍ବେଇ ହେଇ ପଡ଼ିଚି । ଆଉ କଥା କହି ପାରୁ ନାଇଁ କି କାନ୍ଦି ପାରୁ ନାଇଁ । ଏମାନେ କେତେ ମିହନ୍ତ କଲେ ତାକୁ ସେଠୁ ନବାକୁ, ମାତ୍ରକ ପାରିଲେ ନାଇଁ । ବାଡ଼ି ଆଣିଲେ, ତଡ଼ା ଆଣିଲେ, ତେବେକେ ଟେକି ପାରିଲେ ନାଇଁ । ତା ନାକୁଟା ତ ଏକା ପରବତ ଭଳି ଓଜନ, ଟେକିବେ କିମିତି ? ଜଣେ ହାତ ଧଇଲା, ଜଣେ ଗୋଡ଼ ଧଇଲା, ଇମିତି କରି ଦର ଘୋଷରା କରି ଖଣ୍ଡେ ବାଟ ନେଲେ । ଶେଷକୁ ଲାଦୁକିନା ତଳେ ପକେଇ ଦେଇ, ଝାଳ ଗମ ଗମ ବୋହି ପଡ଼ୁଚି, ବସି ପଡ଼ିଲେ । କହିଲେ, ‘‘ନା, ଆଉ ପାରିବା ନାଇଁ ।’’ ସେଇ ସମୟରେ କାହାର ଗୋଟେ ପୋଷା ଗଧ ସେଇ ବାଟେ ବଣ ଭିତରେ ପଳାଉଥିଲା । ତାକୁ ଆଗୁଳି ଆଣି ତା ପିଠିରେ ଲଦିଲେ ନବାକୁ-। ଗଧ ପରା ଜୀବ, ଭାର ବୋହିବାକୁ ଜନମ, ହେଲେ, ଲଦି ଦେଲାରୁ ତା ପିଠିଟା ଭୂଇଁକି ଲସି ଯାଉଥାଏ, ଅଳପ ବାଟ ଯାଇଚନ୍ତି, ସିଏ ମଲା ସରିକି ହେଲା । ତାକୁ ସେଠୁ ଫିଟେଇ ଦେଇ ଦିହେଁ ଥକାମାରି ବସିଗଲେ ।

 

ସେଇ ସମୟକୁ କଣ ହେଲା ନା, ସେଇ ଯେଉଁ ବୁଢ଼ା ବାଙ୍ଗର ଗତିରେ ଏ ତିହ୍ନିଙ୍କୁ ବନାତ ହେରିକା ଦେଇଥିଲା, ମୁଚିକି ହସା ଦେଇ ବଣ ଭିତରୁ ବାହରିଲା । ପଚାରିଲା,‘‘କି ହୋ, କଣ କରୁଚ କି ?’’ ଏ ଦିହେଁ ତାକୁ ଚିହ୍ନିଲେ, ପାଖକୁ ଡାକି ଆଦ୍ୟରୁ ପ୍ରାନ୍ତ ଯାଏ ସବୁ କଥା କହିଲେ-। ସିଏ ସେଠୁ କହିଲା, ‘‘ହଉ, ହଉ, ମୁଁ ୟାକୁ ଭଲ କରି ଦେବି ।’’ କହି, ପାଖରେ ଗୋଟେ କମଳା ଗଛ ଥିଲା, ସେଥିରୁ ଗୋଟେ କମଳା ଆଣି ସେଇ ବଡ଼ନାକୁଆକୁ ଯିମିତି ଖାଇବାକୁ ଦେଲା ତା ନାକୁଟା ସିମିତି ଆଗପରି ସାନ ହୋଇଗଲାମ ୟା ପରେ ସେ ସେଇ ତିନିଜଣଯାଙ୍କୁ ବସେଇ ବତେଇଲା, ‘‘ତୁମେ ବହୁତ ବୁଲିଲଣି, କେତେ ହଟହଟା ହେଲଣି । ହଉ, ଏବେ ନିଅ ଏ କମଳାରୁ ପୁଞ୍ଜେ ଆଉ ଜାମୁକୋଳିରୁ ପୁଞ୍ଜେ । ଜାମୁ ଯାହାକୁ ଖୁଆଇ ଦବ, ତା ନାକୁଟା ଏଇମିତି ବଢ଼ିଯିବ; କମଳା ଖୁଆଇ ଦେଲେ ଛିଡ଼ିଯବ । ତମେ ସିଧା ସିଧା ସେଇ ରାଜଜେମା ‘ସରଗଚାନ୍ଦ’ ପାଖକୁ ଯାଅ । ତାକୁ ଜାମୁରୁ ଗୋଟେ ଖୁଆଇ ଦବ ଯେ, ୟାର ଯିମିତି ନାକ ବଢ଼ିଥିଲା ତାର ସିମିତି କୋଡ଼ିଏ ଗୁଣ ହୋଇ ବଢ଼ିଯିବ, ଛୁଞ୍ଚି ପରି ସରୁ ହୋଇଯିବ । ତା’ଠୁ ତମେ ଯାହା ଆଣିମା କଥା, ସେତିକିବେଳେ ଆଣି ପାରିବ ।’’

 

ୟା କହି ସିଏ କୁଆଡ଼େ ଉଭେଇ ଗଲା ।

ଯେଉଁ ପାଇକର ନାକ ବଢ଼ିଥିଲା, ରଜା ଘରକୁ ସିଏ ଯିବ ବୋଲି କଥା ହେଲା । କାଇଁକି ନା, ସିଏ ସବୁ କଥା ଅଙ୍ଗେ ଲିଭେଇଚି । ଆର ଦିଜଣ ଘରେ ରହିଲେ । ଦିନେ ସିଏ ଏକ ମାଳିବେଶ ପକେଇ କଳା ମଚମଚ କୋଳି ଗୁଡ଼ିଏ ପାଚିଆଟିରେ ଧରି ରଜାଙ୍କ ପାଖରେ ପହଞ୍ଚି କହିଲା, ‘‘ମଣିମା, ବହୁତ ଦୂରରୁ ମୁଁ ଏ କୋଳି ଆଣିଚି । ଇମିତି କୋଳି ଆଉ କାହିଁ ଦେଖା ନାଇଁ ।’’ ରଜା ଦେଖିଲେ, ସତକୁ ସତ ବଡ଼ ବଡ଼ କୋଳି ହେଇଚି । ଯିଏ ଦେଖିଲା ତା ପାଟିରୁ ଲାଳ ବୋହିଲା । କେତେ ଗରାଖ କିଣିବାକୁ ଅଇଲେ, ମାତ୍ରକ ମାଳୀ ସମସ୍ତିଙ୍କି ଫେରେଇ ଦେଇ କହିଲା, ‘‘ୟାକୁ ମୁଁ ଜେମାମଣିଙ୍କ ପାଇଁ ଆଣିଚି; ଆଉ କାହାକୁ ଦେବି ନାଇଁ ।’’ ଜେମା ୟା ଶୁଣିଲା କ୍ଷଣି ଦାସୀକି ପଠେଇ ମୂଲ ଦେଇ କୋଳିଯାକ କିଣେଇ ନେଇଗଲା ।

 

ମାଳିମନ୍ତେ ମାଳୀ ଘରକୁ ଗଲା । ତେଣେ କଣ ହେଲା ନା, କୋଳି ତ ଖାଲି ପାଚି କରିଥିଲା; ଜେମା ଦେଖିଲାକ୍ଷଣି ପାଟିକି ପକେଇଲା । ତିନିଟା ଖାଇ ଚାରିଟା ଖାଇଲା ବେଳକୁ, ଆଶିରିଯ କଥା, ନାକୁଟା ବଢ଼ିଲା ଯେ ଆଉ ଇମିତି ସିମିତି ନୁହେଁ, ନଈସୁଅ ପରି ବଢ଼ିଲା । ଜେମା ତ ଖାଲି ବୋପାଲୋ, ମାଆଲୋ ବୋଲି ପାଟି କରୁଥାଏ । ତେଣେ ନାକ ବଢ଼ି ବଢ଼ି ଘର, ପଞ୍ଜର, ନଅର, ବଗିଚା, ସିଂହଦୁଆର ଡେଇଁଲା, ସେଠୁ ଗଳିକି ଗଳି, ସାଇକି ସାଇ ହୋଇ କୁଆଡ଼େ ଗଲା, ତା ଆଉ କେହି କଳି ପାରିଲେ ନାଇଁ ।

 

ରଜାଙ୍କ ମନରେ ଛନକା ପଶିଗଲା । ଗୋଟିଏ ବୋଲି ଝିଅ, ମୁଲକ ଯାକ ଡେଙ୍ଗୁରା ଦିଆ ହେଲା-‘‘ଯିଏ ଜେମାର ଏ ରୋଗ ଭଲ କରିଦବ ସିଏ ସୁନା ରୂପା, ହାତୀ, ଘୋଡ଼, ଯାହା ଯେତେ ଲୋଡ଼ିବ ସେତେ ପାଇବ ।’’କେତେ ବଇଦ ଆସି ହାତ ଦେଖିଲେ, ଜୋତିଷ ଆସି ଜାତକ ଦେଖିଲେ, ଦଶା ମେଣ୍ଟେଇବାକୁ ଦିଅଁ ଦେବତା କରିବାକୁ କହିଲେ, ଗୁଣିଆ ଆସି କେତେ ଉପାୟ କଲେ; ହେଲେ, କେହି ହେଲେ ଭଲ କରି ପାରିଲେ ନାଇଁ ।

 

ଶେଷକୁ ସେଇ ବୁଢ଼ା ପାଇକ ବଇତବେଶ ପକେଇ ରଜାଙ୍କ ପାଖକୁ ଗଲା । କହିଲା, ‘‘ମୁଁ ଆସିଚି ମାସକ ବାଟ ରାଇଜରୁ; ମୁଁ ଏ ରୋଗ ଭଲ କରିଦେବି ।’’ ସିଏ ତ ଏତେ ନାଟ ଲଗେଇଚି, ଭଲ କଣ କରିବ, ମନେ ମନେ ଭାବୁଥାଏ, ‘‘ରାକ୍ଷସୁଣୀକି ଆଉରି କଷ୍ଟ ଦେବି ।’’ ସାଙ୍ଗେ ସାଙ୍ଗେ ଜାମୁ ପୁଞ୍ଜେ ଛେଚି ଦୋରୁଅ ଟିକିଏ, ନେଇଥାଏ । ରଜା ତାକୁ ନଅରକୁ ପଠେଇ ଦେଲେ । ସେ ଗଲା, ଜେମାର ନାକ ଦେଖିଲା, ନାଡ଼ି ଚିପିଲା, ଅଇଲା ବେଳକୁ ସେଇ ଜାମୁ ଦୋରୁଅରୁ ଚାରିଟୋପା ଦେଇ କହିଲା, ‘‘କାଲିକି ମୁଁ ଆସିବି ।’’ ଜେମା ମାତ ଅସୁରୁଣୀ, ଆଗତ ଭବିଷ କଥା ଜାଣିପାରେ; ମାତ୍ର ଜାମୁ ଖାଇଲା ଦିନୁ ତାର ସେ ବୁଦ୍ଧି କୁଆଡ଼େ ଲୋପ ହୋଇଗଲା ଯେ, ସିଏ ଘର ମଣିଷକୁ ଭଲକରି ଚିହ୍ନି ପାରିଲା ନାଇଁ, ଆଉ ବଇଦକୁ ଚିହ୍ନିମ କଣ ? ଯିଏ ଯାହା ଦେଲା ଖାଇଲା । ଜାମୁ ଖାଇକରି ତ ଏତେ ନାଟ, ତା ଓପରେ ସେଥିରୁ ଆଉ ପାନେ ପଡ଼ିବାରୁ ନାକ ଭଲ ହବ କଣ ଆଉରି ବେଗରେ ବଢ଼ିଲା । ଆରଦିନ ପାଇକ ସାଙ୍ଗରେ କମଳାରସ ଚିପୁଡ଼ି ଆଣିଥିଲା । ଜାଣିଲା ପରି ଇଆଡ଼ୁ ସିଆଡ଼ୁ ରୋଗ ଉପସର୍ଗ ଦେଖି ସେଥିରୁ ଟୋପେ ମାତ୍ରକ ଦେଲା । ସେ ଦିନ ରାତିରେ ଜେମାକୁ ଟିକିଏ ଭଲ ଲାଗିଲା । ପାଇକ ଆର ଦିନ ଆସି ଜେମାକୁ ଆଉରି ଭୟ ଦେଖାଇବା ପାଇଁ ଆଛା କରି ଆଉ ପାନେ ଜାମୁ ଦୋରୁଅ ଦେଲା ଯେ ନାକ ଯାହା ଥିଲା ରାତିକ ଭିତରେ ତାର ଦଶଗୁଣ ବଢ଼ିଲା ପରି ହେଲା । ରାତି ପାଇଲା ବେଳକୁ ରଜା ରାଣୀଙ୍କ କାଉଳି କହି ହେଉ ନାହିଁ । ପାଇକ ସେଇମିତି ସକାଳୁ ଆସିଲା, ହାତ ଦେଖିଲା, ଏକୁଟିଆରେ ଜେମାକୁ କହିଲା, ‘‘ମତେ ଲାଗୁଚି, ତମେ କେବେ କାହାର କଣ ଜିନିଷ ଚୋରେଇ ଆଣି ରଖିଚ କି-?’’ ଜେମା ଏ କଥା ଶୁଣି ପାଇକ ଓପରେ ଭାରି ରାଗିଲା, ନାହିଁ ନାସ୍ତି କଲା । ପାଇକ କହିଲା, ‘‘ହଉ, ନାହିଁ କଲେ କର, ମାତ୍ର ଜାଣିଥାଅ ଯେ, ତା ଫେରେଇ ନ ଦେଲେ ଏ ରୋଗରେ ମରିବ ।’’ ୟା କହି ପାଇକ ଯାଇ ରଜାଙ୍କୁ ସବୁ କଥା କହି ଦେଲା । ରଜା ଜେମା ପାଖକୁ ଆସି କେତେ କଅଁଳେଇ ସଅଁଳେଇ ତାକୁ କୁହାପୋଛା କଲେ, ‘‘ମାଳି ମୋର, ଧନ ମୋର, ସେ ବନାତ, ଥଳି, ବଇଁଶୀ ପାଖରେ ରଖିଚୁ ଯେବେ ଫେରେଇ ଦେ ।’’

 

ବାପ କଥା ଶୁଣି ଶେଷକୁ ରଜାଝିଅର ଭଲ ବୁଦ୍ଧି ଆସିଲା । ଦାସୀ ହାତରେ ବନାତ, ଥଳି, ବଇଁଶୀ ଅଣେଇ ବଇଦକୁ ଦେଲା, କହିଲ, ‘‘ୟା ସବୁ ତିନି ପାଇକଙ୍କୁ ଡାକି ଦେଇ ପକେଇବ-।’’ ପାଇକ ୟା ପାଇଲା ଉତ୍ତାରୁ ଗୋଟେ କମଳା ତାକୁ ଖାଇବାକୁ ଦେଳା ଯେ, ସେଥିରେ ତା ନାକ ଭଲ ହୋଇଗଲା । ସେ ଯେଉଁ ଜେମାକୁ ସେଇ ଜେମା ପରି ଦିଶିଲା । ହେଲେ, ଆଗତଭବିଷ ବୁଦ୍ଧି ଆଉ ତାର ଆସିଲା ନାଇଁ । ପାଇକ ରଜାଙ୍କ ପାଖରୁ ମେଲାଣି ଘେନି ବନାତଟି ଘୋଡ଼େଇ ହୋଇ ଆଖି ପିଛୁଳାକେ ଘରେ ଯାଇ ପହଞ୍ଚି ଗଲା । ସାଥୀ ଦି’ ଜଣ ସବୁ କଥା ଶୁଣି ଭାରି ଆନନ୍ଦ ହେଲେ, ସାଙ୍ଗ ହୋଇ ସୁଖରେ ରହିଲେ ।

 

କେତେ ଦିନ ଉତ୍ତାରୁ ସେଇ ରଜା ମରିଯିବାରୁ ରାଇଜରେ କିଏ ରଜା ହବ ବୋଲି ପାଟହାତୀ ସୁନାକଳଶ ଧରି ବୁଲୁଥିଲା । ଏ ତିନିଜଣ ପାଇକରୁ ବଡ଼ ପାଇକ ବଣକୁ ପାରିଧିକି ଯାଇଥିଲା । ହାତୀ ବା ମୁଣ୍ଡରେ ସୁନାକଳଶ ଢାଳି ନଅରକୁ ନେଇଗଲା । ସିଏ ରଜା ହୋଇ ସାଙ୍ଗ ଦି’ଜଣଙ୍କୁ ଡକେଇ ନେଲା, ରାଇଜର ପାତ୍ର ମନ୍ତ୍ରୀ କରେଇ ଦେଲା । ତେଣେ ଜେମା କଣ କଲା ନା, ପାଇକ ରଜା ହବାର ଦେଖି ଭୟରେ ରାତି ରାତି କୁ’ ବଣରେ ଯାଇ ପଶିଲା ଯେ, ତାର ଆଉ କିଛି ଅନ୍ତ ମିଳିଲା ନାଇଁ । ପାଇକ ତିନିଜଣ ମହାଆନନ୍ଦରେ ରାଜୁତି କରି ରହିଲେ । ମୁଁ ଗଲାକୁ କଥା ନ କହିଲେ ।

Image